ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ଭାରତ ମହାସାଗରରେ ରହିଛି। ଯଦିଓ ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ, ତଥାପି ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଅବପାତଟି ଘଣ୍ଟାପ୍ରତି ୩୦ କିମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଆସନ୍ତା ୨ ଦିନ ମଧ୍ୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଶ୍ରୀଲଙ୍କା-ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିବ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୮ ତାରିଖରେ ରାଜ୍ୟର ୪ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେଇପାରେ। ଏଥିରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଜଗତସିଂପୁର ଜିଲ୍ଲା ରହିଛି। ସେହିପରି ୨୯ ତାରିଖରେ ଗଞ୍ଜାମ ଓ ଗଜପତି ଏବଂ ୩୦ ତାରିଖରେ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। କିନ୍ତୁ ଏହି ଲଘୁଚାପ ଉପକୂଳ ନିକଟତର ହେବା ପରେ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରିବ। ଏହାଦ୍ୱାରା ଆଗାମୀ ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଯୋଗୁଁ କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ରେକଡର଼୍ କରାଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୮.୨ ତାପମାତ୍ରା ରେକର୍ଡ ହୋଇଛି। କଟକରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୧୬.୧ ଡିଗ୍ରୀ ରେକର୍ଡ ହୋଇଛି।
ମତାମତ: